କର୍ମସଂନ୍ଯାସଯୋଗ
ଅଥ ପଂଚମୋଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ସଂନ୍ଯାସଂ କର୍ମଣାଂ କୃଷ୍ଣ ପୁନର୍ଯୋଗଂ ଚ ଶଂସସି |
ଯଚ୍ଛ୍ରେଯ ଏତଯୋରେକଂ ତନ୍ମେ ବ୍ରୂହି ସୁନିଶ୍ଚିତମ୍ ||୫-୧||
ଅନୁବାଦ
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ, ଆପଣ କର୍ମସନ୍ନ୍ୟାସର (କର୍ମ ତ୍ୟାଗର ମାର୍ଗ) ପ୍ରଶଂସା କଲେ ଏବଂ ଆପଣ ମଧ୍ୟ କର୍ମଯୋଗର (କର୍ମ ସହିତ ଭକ୍ତି) ଉପଦେଶ ଦେଲେ । ଦୟାକରି ମୋତେ ସ୍ପଷ୍ଟ ଭାବରେ କୁହନ୍ତୁ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଉପାଦେୟ ।
ଶ୍ଲୋକ 2
ଶ୍ରୀଭଗଵାନୁଵାଚ |
ସଂନ୍ଯାସଃ କର୍ମଯୋଗଶ୍ଚ ନିଃଶ୍ରେଯସକରାଵୁଭୌ |
ତଯୋସ୍ତୁ କର୍ମସଂନ୍ଯାସାତ୍କର୍ମଯୋଗୋ ଵିଶିଷ୍ଯତେ ||୫-୨||
ଅନୁବାଦ
ଭଗବାନ କହିଲେ: ଉଭୟ କର୍ମ ସନ୍ନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ଚରମ ଲକ୍ଷ୍ୟ ଦିଗକୁ ଅଗ୍ରସର କରାଏ, କିନ୍ତୁ କର୍ମଯୋଗ କର୍ମସନ୍ନ୍ୟାସ ଅପେକ୍ଷା ଶ୍ରେଷ୍ଠତର ଅଟେ ।
ଶ୍ଲୋକ 3
ଜ୍ଞେଯଃ ସ ନିତ୍ଯସଂନ୍ଯାସୀ ଯୋ ନ ଦ୍ଵେଷ୍ଟି ନ କାଙ୍କ୍ଷତି |
ନିର୍ଦ୍ଵନ୍ଦ୍ଵୋ ହି ମହାବାହୋ ସୁଖଂ ବନ୍ଧାତ୍ପ୍ରମୁଚ୍ଯତେ ||୫-୩||
ଅନୁବାଦ
ଯେଉଁ କର୍ମଯୋଗୀ କୌଣସି ବସ୍ତୁର କାମନା କରନ୍ତି ନାହିଁ ବା କାହାକୁ ଘୃଣା କରନ୍ତି ନାହିଁ, ବାସ୍ତବରେ ସେମାନେ ନିତ୍ୟ ତ୍ୟାଗୀ ଅଟନ୍ତି । ଦ୍ୱନ୍ଦ୍ୱ ମୁକ୍ତ ହୋଇ ସେମାନେ ସହଜରେ ମାୟିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ।
ଶ୍ଲୋକ 4
ସାଙ୍ଖ୍ଯଯୋଗୌ ପୃଥଗ୍ବାଲାଃ ପ୍ରଵଦନ୍ତି ନ ପଣ୍ଡିତାଃ |
ଏକମପ୍ଯାସ୍ଥିତଃ ସମ୍ଯଗୁଭଯୋର୍ଵିନ୍ଦତେ ଫଲମ୍ ||୫-୪||
ଅନୁବାଦ
କେବଳ ଅଜ୍ଞ ବ୍ୟକ୍ତିମାନେ ହିଁ ସାଂଖ୍ୟ (କର୍ମତ୍ୟାଗ ବା କର୍ମସନ୍ନ୍ୟାସ ) ଏବଂ କର୍ମଯୋଗ (କର୍ମ ସହିତ ଭକ୍ତି)କୁ ପୃଥକ କହିଥାଆନ୍ତି । ଯେଉଁମାନେ ପ୍ରକୃତ ଜ୍ଞାନୀ, ସେମାନେ କହନ୍ତି, ଦୁଇଟିରୁ ଯେ କୌଣସି ଗୋଟିଏ ମାର୍ଗ ଅନୁସରଣ କଲେ ମଧ୍ୟ ଆମେ ଉଭୟର ଫଳ ପ୍ରାପ୍ତ କରି ପାରିବା ।
ଶ୍ଲୋକ 5
ଯତ୍ସାଙ୍ଖ୍ଯୈଃ ପ୍ରାପ୍ଯତେ ସ୍ଥାନଂ ତଦ୍ଯୋଗୈରପି ଗମ୍ଯତେ |
ଏକଂ ସାଙ୍ଖ୍ଯଂ ଚ ଯୋଗଂ ଚ ଯଃ ପଶ୍ଯତି ସ ପଶ୍ଯତି ||୫-୫||
ଅନୁବାଦ
କର୍ମ ସନ୍ନ୍ୟାସ ଦ୍ୱାରା ଯେଉଁ ଉଚ୍ଚ ସୋପାନ ପ୍ରାପ୍ତ ହୋଇଥାଏ, ଭକ୍ତିଯୁକ୍ତ କର୍ମ ଆଚରଣ ଦ୍ୱାରା ମଧ୍ୟ ତାହା ପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି କର୍ମ ସନ୍ନ୍ୟାସ ଓ କର୍ମ ଯୋଗକୁ ସମାନ ରୂପରେ ଦେଖିଥାଏ, ସେ ତତ୍ତ୍ୱକୁ ତା’ର ବାସ୍ତବ ସ୍ୱରୂପରେ ଦେଖିଥାଏ ।
ଶ୍ଲୋକ 6
ସଂନ୍ଯାସସ୍ତୁ ମହାବାହୋ ଦୁଃଖମାପ୍ତୁମଯୋଗତଃ |
ଯୋଗଯୁକ୍ତୋ ମୁନିର୍ବ୍ରହ୍ମ ନଚିରେଣାଧିଗଚ୍ଛତି ||୫-୬||
ଅନୁବାଦ
ଭକ୍ତିଯୁକ୍ତ କର୍ମ ନ କରି (କର୍ମଯୋଗ), ସମ୍ପୂର୍ଣ୍ଣ ତ୍ୟାଗ (କର୍ମ ସନ୍ନ୍ୟାସ) ହାସଲ କରିବା କଷ୍ଟକର ଅଟେ; କିନ୍ତୁ ହେ ବୀର ଅର୍ଜୁନ! ଯେଉଁ ସନ୍ଥ କର୍ମଯୋଗରେ ପ୍ରବୀଣ, ସେ ଅତି ଶୀଘ୍ର ପରଂବ୍ରହ୍ମଙ୍କୁ ପ୍ରାପ୍ତ କରିଥାନ୍ତି ।
ଶ୍ଲୋକ 7
ଯୋଗଯୁକ୍ତୋ ଵିଶୁଦ୍ଧାତ୍ମା ଵିଜିତାତ୍ମା ଜିତେନ୍ଦ୍ରିଯଃ |
ସର୍ଵଭୂତାତ୍ମଭୂତାତ୍ମା କୁର୍ଵନ୍ନପି ନ ଲିପ୍ଯତେ ||୫-୭||
ଅନୁବାଦ
ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି । ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ ।
ଶ୍ଲୋକ 8 ଏବଂ 9
ନୈଵ କିଞ୍ଚିତ୍କରୋମୀତି ଯୁକ୍ତୋ ମନ୍ଯେତ ତତ୍ତ୍ଵଵିତ୍ |
ପଶ୍ଯଞ୍ଶୃଣ୍ଵନ୍ସ୍ପୃଶଞ୍ଜିଘ୍ରନ୍ନଶ୍ନନ୍ଗଚ୍ଛନ୍ସ୍ଵପଞ୍ଶ୍ଵସନ୍ ||୫-୮||
ପ୍ରଲପନ୍ଵିସୃଜନ୍ଗୃହ୍ଣନ୍ନୁନ୍ମିଷନ୍ନିମିଷନ୍ନପି |
ଇନ୍ଦ୍ରିଯାଣୀନ୍ଦ୍ରିଯାର୍ଥେଷୁ ଵର୍ତନ୍ତ ଇତି ଧାରଯନ୍ ||୫-୯||
ଅନୁବାଦ
ଯେଉଁମାନେ କର୍ମ ଯୋଗରେ ସ୍ଥିତ ରହିଥାଆନ୍ତି, ସେମାନେ ଦେଖିବା, ଶୁଣିବା, ସ୍ପର୍ଶ କରିବା, ଶୁଙ୍ଘିବା, ଚାଲିବା, ଶୋଇବା, ଶ୍ୱାସପ୍ରଶ୍ୱାସ ନେବା, କଥା କହିବା, ମଳତ୍ୟାଗ କରିବା, ଧରିବା ପ୍ରଭୃତି କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା “ମୁଁ କର୍ତ୍ତା ନୁହେଁ” ଏପରି ମନେ କରିଥାନ୍ତି । ଦିବ୍ୟ ଜ୍ଞାନର ଆଲୋକରେ ସେମାନେ ଦେଖିପାରନ୍ତି ଯେ ଏହି ସବୁ କ୍ରିୟା କେବଳ ଭୌତିକ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ ବିଷୟରେ ବିଚରଣ କରିବାର ପରିଣାମ ଅଟେ ।
ଶ୍ଲୋକ 10
ବ୍ରହ୍ମଣ୍ଯାଧାଯ କର୍ମାଣି ସଙ୍ଗଂ ତ୍ଯକ୍ତ୍ଵା କରୋତି ଯଃ |
ଲିପ୍ଯତେ ନ ସ ପାପେନ ପଦ୍ମପତ୍ରମିଵାମ୍ଭସା ||୫-୧୦||
ଅନୁବାଦ
ଯେଉଁମାନେ ଆସକ୍ତି ରହିତ ହୋଇ ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ପଦ୍ମପତ୍ର ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ପାପ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ ।
ଶ୍ଲୋକ 11
କାଯେନ ମନସା ବୁଦ୍ଧ୍ଯା କେଵଲୈରିନ୍ଦ୍ରିଯୈରପି |
ଯୋଗିନଃ କର୍ମ କୁର୍ଵନ୍ତି ସଙ୍ଗଂ ତ୍ଯକ୍ତ୍ଵାତ୍ମଶୁଦ୍ଧଯେ ||୫-୧୧||
ଅନୁବାଦ
ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି ।
ଶ୍ଲୋକ 12
ଯୁକ୍ତଃ କର୍ମଫଲଂ ତ୍ଯକ୍ତ୍ଵା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍ |
ଅଯୁକ୍ତଃ କାମକାରେଣ ଫଲେ ସକ୍ତୋ ନିବଧ୍ଯତେ ||୫-୧୨||
ଅନୁବାଦ
ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରି, କର୍ମଯୋଗୀମାନେ ଚିରନ୍ତନ ଶାନ୍ତି ପ୍ରାପ୍ତ କରିଥାନ୍ତି । ଅଥଚ ଯେଉଁମାନେ କାମନା ଦ୍ୱାରା ପ୍ରେରିତ ହୋଇ ନିଜ ସ୍ୱାର୍ଥ ପାଇଁ କର୍ମ କରନ୍ତି, ସେମାନେ କର୍ମଫଳରେ ଆସକ୍ତ ରହିଥିବା କାରଣରୁ ବନ୍ଧନକୁ ପ୍ରାପ୍ତ ହୋଇ ଥାଆନ୍ତି ।
ଶ୍ଲୋକ 13
ସର୍ଵକର୍ମାଣି ମନସା ସଂନ୍ଯସ୍ଯାସ୍ତେ ସୁଖଂ ଵଶୀ |
ନଵଦ୍ଵାରେ ପୁରେ ଦେହୀ ନୈଵ କୁର୍ଵନ୍ନ କାରଯନ୍ ||୫-୧୩||
ଅନୁବାଦ
ଶରୀରଧାରୀ ଜୀବ, ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି, ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।
ଶ୍ଲୋକ 14
ନ କର୍ତୃତ୍ଵଂ ନ କର୍ମାଣି ଲୋକସ୍ଯ ସୃଜତି ପ୍ରଭୁଃ |
ନ କର୍ମଫଲସଂଯୋଗଂ ସ୍ଵଭାଵସ୍ତୁ ପ୍ରଵର୍ତତେ ||୫-୧୪||
ଅନୁବାଦ
ବ୍ୟକ୍ତିର କତ୍ତୃତ୍ୱ ବା କର୍ମ ଭଗବାନଙ୍କଠାରୁ ଆସି ନ ଥାଏ; ସେ କର୍ମର ଫଳ ସହିତ ବ୍ୟକ୍ତିକୁ ସଂଯୁକ୍ତ କରନ୍ତି ନାହିଁ । ବ୍ୟକ୍ତିର ତ୍ରିଗୁଣାତ୍ମକ ସ୍ୱଭାବ ଏସବୁ କରିଥାଏ ।
ଶ୍ଲୋକ 15
ନାଦତ୍ତେ କସ୍ଯଚିତ୍ପାପଂ ନ ଚୈଵ ସୁକୃତଂ ଵିଭୁଃ |
ଅଜ୍ଞାନେନାଵୃତଂ ଜ୍ଞାନଂ ତେନ ମୁହ୍ଯନ୍ତି ଜନ୍ତଵଃ ||୫-୧୫||
ଅନୁବାଦ
ସର୍ବଶକ୍ତିମାନ ଭଗବାନ, କୌଣସି ବ୍ୟକ୍ତିର ପୁଣ୍ୟକର୍ମ ବ ପାପକର୍ମରେ ଅଂଶୀଦାର ହୁଅନ୍ତି ନାହିଁ । ଅଜ୍ଞାନରେ ଆବୃତ୍ତ ଜୀବର ଜ୍ଞାନ, ତାହା ବୁଝିପାରି ନ ଥାଏ ।
ଶ୍ଲୋକ 16
ଜ୍ଞାନେନ ତୁ ତଦଜ୍ଞାନଂ ଯେଷାଂ ନାଶିତମାତ୍ମନଃ |
ତେଷାମାଦିତ୍ଯଵଜ୍ଜ୍ଞାନଂ ପ୍ରକାଶଯତି ତତ୍ପରମ୍ ||୫-୧୬||
ଅନୁବାଦ
କିନ୍ତୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଅଜ୍ଞାନ ଦିବ୍ୟ ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ, ସେମାନଙ୍କଠାରେ ସେହି ଜ୍ଞାନ ପରତତ୍ତ୍ୱକୁ ପ୍ରକାଶିତ କରିଥାଏ, ଯେପରି ଦିବସରେ ସୂର୍ଯ୍ୟ ଦେବତା ସବୁକିଛିକୁ ଉଦ୍ଭାସିତ କରିଥାନ୍ତି ।
ଶ୍ଲୋକ 17
ତଦ୍ବୁଦ୍ଧଯସ୍ତଦାତ୍ମାନସ୍ତନ୍ନିଷ୍ଠାସ୍ତତ୍ପରାଯଣାଃ |
ଗଚ୍ଛନ୍ତ୍ଯପୁନରାଵୃତ୍ତିଂ ଜ୍ଞାନନିର୍ଧୂତକଲ୍ମଷାଃ ||୫-୧୭||
ଅନୁବାଦ
ଯେଉଁମାନେ ନିଜର ବୁଦ୍ଧିକୁ ଭଗବାନଙ୍କ ଠାରେ ସ୍ଥିର ରଖନ୍ତି ଏବଂ ତାଙ୍କୁ ନିଜର ଚରମ ଲକ୍ଷ୍ୟ ମନେକରି ଦୃଢ଼ ବିଶ୍ୱାସର ସହିତ ଭଗବାନଙ୍କ ଧ୍ୟାନରେ ନିମଗ୍ନ ରହନ୍ତି, ସେମାନେ ଅତିଶୀଘ୍ର ସେହି ଅବସ୍ଥାରେ ପହଞ୍ôଚଥାନ୍ତି, ଯେଉଁଠାରୁ ସେମାନେ ଆଉ ଫେରି ଆସନ୍ତି ନାହିଁ । ତାଙ୍କର ପାପସବୁ ଜ୍ଞାନର ଆଲୋକରେ ଧୋଇ ହୋଇଯାଏ ।
ଶ୍ଲୋକ 18
ଵିଦ୍ଯାଵିନଯସମ୍ପନ୍ନେ ବ୍ରାହ୍ମଣେ ଗଵି ହସ୍ତିନି |
ଶୁନି ଚୈଵ ଶ୍ଵପାକେ ଚ ପଣ୍ଡିତାଃ ସମଦର୍ଶିନଃ ||୫-୧୮||
ଅନୁବାଦ
ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।
ଶ୍ଲୋକ 19
ଇହୈଵ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ଯେ ସ୍ଥିତଂ ମନଃ |
ନିର୍ଦୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍ ବ୍ରହ୍ମଣି ତେ ସ୍ଥିତାଃ ||୫-୧୯||
ଅନୁବାଦ
ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି । ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି ।
ଶ୍ଲୋକ 20
ନ ପ୍ରହୃଷ୍ଯେତ୍ପ୍ରିଯଂ ପ୍ରାପ୍ଯ ନୋଦ୍ଵିଜେତ୍ପ୍ରାପ୍ଯ ଚାପ୍ରିଯମ୍ |
ସ୍ଥିରବୁଦ୍ଧିରସମ୍ମୂଢୋ ବ୍ରହ୍ମଵିଦ୍ ବ୍ରହ୍ମଣି ସ୍ଥିତଃ ||୫-୨୦||
ଅନୁବାଦ
ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁମାନଙ୍କର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍ବେଗଗ୍ରସ୍ତ ହୁଅନ୍ତି ନାହିଁ ।
ଶ୍ଲୋକ 21
ବାହ୍ଯସ୍ପର୍ଶେଷ୍ଵସକ୍ତାତ୍ମା ଵିନ୍ଦତ୍ଯାତ୍ମନି ଯତ୍ସୁଖମ୍ |
ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷଯମଶ୍ନୁତେ ||୫-୨୧||
ଅନୁବାଦ
ଯେଉଁମାନେ ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ ହୋଇ, ଚିରନ୍ତନ ସୁଖ ଲାଭ କରନ୍ତି ।
ଶ୍ଲୋକ 22
ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନଯ ଏଵ ତେ |
ଆଦ୍ଯନ୍ତଵନ୍ତଃ କୌନ୍ତେଯ ନ ତେଷୁ ରମତେ ବୁଧଃ ||୫-୨୨||
ଅନୁବାଦ
ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସଂସ୍ପର୍ଶରେ ଉପୁଜୁଥିବା ସୁଖ, ଭୌତିକ ଚେତନାଯୁକ୍ତ ବ୍ୟକ୍ତିଙ୍କୁ ସୁଖଦାୟକ ମନେ ହେଉଥିଲେ ମଧ୍ୟ, ବାସ୍ତବରେ ସେ ସବୁ ଦୁଃଖର ଉତ୍ସ ଅଟନ୍ତି । ହେ କୁନ୍ତିପୁତ୍ର! ଏପରି ସୁଖର ଆରମ୍ଭ ଏବଂ ଅନ୍ତ ମଧ୍ୟ ରହିଛି । ତେଣୁ ଜ୍ଞାନୀମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ।
ଶ୍ଲୋକ 23
ଶକ୍ନୋତୀହୈଵ ଯଃ ସୋଢୁଂ ପ୍ରାକ୍ଶରୀରଵିମୋକ୍ଷଣାତ୍ |
କାମକ୍ରୋଧୋଦ୍ଭଵଂ ଵେଗଂ ସ ଯୁକ୍ତଃ ସ ସୁଖୀ ନରଃ ||୫-୨୩||
ଅନୁବାଦ
ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ, କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି, ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି ।
ଶ୍ଲୋକ 24
ଯୋଽନ୍ତଃସୁଖୋଽନ୍ତରାରାମସ୍ତଥାନ୍ତର୍ଜ୍ଯୋତିରେଵ ଯଃ |
ସ ଯୋଗୀ ବ୍ରହ୍ମନିର୍ଵାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ||୫-୨୪||
ଅନୁବାଦ
ଯେଉଁମାନେ ଅନ୍ତରରେ ଭଗବାନଙ୍କର ଆନନ୍ଦକୁ ଅନୁଭବ କରି ସୁଖୀ ରହନ୍ତି ଏବଂ ଯେଉଁମାନେ ନିଜ ଅନ୍ତରର ଜ୍ୟୋତିରେ ଉଦ୍ଭାସିତ, ସେହିପରି ଯୋଗୀମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଥାନ୍ତି ।
ଶ୍ଲୋକ 25
ଲଭନ୍ତେ ବ୍ରହ୍ମନିର୍ଵାଣମୃଷଯଃ କ୍ଷୀଣକଲ୍ମଷାଃ |
ଛିନ୍ନଦ୍ଵୈଧା ଯତାତ୍ମାନଃ ସର୍ଵଭୂତହିତେ ରତାଃ ||୫-୨୫||
ଅନୁବାଦ
ଯେଉଁ ସାଧୁ ପୁରୁଷମାନଙ୍କର ପାପ କ୍ଷୟ ହୋଇଯାଇ ଥାଏ, ସଂଶୟ ଛିନ୍ନ ଏବଂ ମନ ଶୃଙ୍ଖଳିତ ହୋଇଯାଇ ଥାଏ ଏବଂ ଯେଉଁମାନେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ ନିମନ୍ତେ ସମର୍ପିତ, ସେମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଯାଆନ୍ତି ।
ଶ୍ଲୋକ 26
କାମକ୍ରୋଧଵିଯୁକ୍ତାନାଂ ଯତୀନାଂ ଯତଚେତସାମ୍ |
ଅଭିତୋ ବ୍ରହ୍ମନିର୍ଵାଣଂ ଵର୍ତତେ ଵିଦିତାତ୍ମନାମ୍ ||୫-୨୬||
ଅନୁବାଦ
ଯେଉଁ ସନ୍ନ୍ୟାସୀମାନେ, କ୍ରମାଗତ ଉଦ୍ୟମ ଦ୍ୱାରା, କାମନା ଓ କ୍ରୋଧରୁ ମୁକ୍ତ ହୋଇଯାଇ ଥାଆନ୍ତି, ଯେଉଁମାନେ ନିଜର ମନକୁ ସଂଯତ କରି ଆତ୍ମ ଅନୁଭୂତି ଲାଭ କରିଥାଆନ୍ତି, ସେମାନେ ସର୍ବତୋ ଭାବରେ ମାୟିକ ବନ୍ଧନରୁ ମୁକ୍ତ ରହନ୍ତି ।
ଶ୍ଲୋକ 27 ଏବଂ 28
ସ୍ପର୍ଶାନ୍କୃତ୍ଵା ବହିର୍ବାହ୍ଯାଂଶ୍ଚକ୍ଷୁଶ୍ଚୈଵାନ୍ତରେ ଭ୍ରୁଵୋଃ |
ପ୍ରାଣାପାନୌ ସମୌ କୃତ୍ଵା ନାସାଭ୍ଯନ୍ତରଚାରିଣୌ ||୫-୨୭||
ଯତେନ୍ଦ୍ରିଯମନୋବୁଦ୍ଧିର୍ମୁନିର୍ମୋକ୍ଷପରାଯଣଃ |
ଵିଗତେଚ୍ଛାଭଯକ୍ରୋଧୋ ଯଃ ସଦା ମୁକ୍ତ ଏଵ ସଃ ||୫-୨୮||
ଅନୁବାଦ
ବାହ୍ୟ ସୁଖ କଳ୍ପନାର ଦ୍ୱାର ବନ୍ଦ କରି, ଦୁଇ ଚକ୍ଷୁର ଭ୍ରୂଲତାର ମଧ୍ୟ ଭାଗରେ ଦୃଷ୍ଟି ନିବଦ୍ଧ କରି, ନାସିକା ରନ୍ଧ୍ରରେ ନିଶ୍ୱାସ ପ୍ରଶ୍ୱାସର ଗତି ସମାନ ରଖି ଯେଉଁ ଯୋଗୀ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବଶ କରିଥାଆନ୍ତି, ସେମାନେ କାମନା ଓ ଭୟରୁ ମୁକ୍ତ ହୋଇ ସର୍ବଦା ବିମୁକ୍ତ ଜୀବନଯାପନ କରିଥାନ୍ତି ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।