କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ
ଅଥ ତ୍ରଯୋଦଶୋଽଧ୍ଯାଯଃ
ଶ୍ଲୋକ 1
ଅର୍ଜୁନ ଉଵାଚ |
ପ୍ରକୃତିଂ ପୁରୁଷଂ ଚୈଵ କ୍ଷେତ୍ରଂ କ୍ଷେତ୍ରଜ୍ଞମେଵ ଚ |
ଏତଦ୍ଵେଦିତୁମିଚ୍ଛାମି ଜ୍ଞାନଂ ଜ୍ଞେଯଂ ଚ କେଶଵ ||୧୩-୧||
ଅନୁବାଦ
ଅର୍ଜୁନ କହିଲେ: “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ପ୍ରକୃତ ଜ୍ଞାନ କ’ଣ ଏବଂ ସେହି ଜ୍ଞାନର ଲକ୍ଷ୍ୟ କ’ଣ? ”
ଶ୍ଲୋକ 2
ଶ୍ରୀଭଗଵାନୁଵାଚ |
ଇଦଂ ଶରୀରଂ କୌନ୍ତେଯ କ୍ଷେତ୍ରମିତ୍ଯଭିଧୀଯତେ |
ଏତଦ୍ଯୋ ଵେତ୍ତି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ଵିଦଃ ||୧୩-୨||
ଅନୁବାଦ
ଭଗବାନ କହିଲେ: ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର (କର୍ମର ସ୍ଥାନ) କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ । ଏହା ଉଭୟର ସତ୍ୟତା ଉପଲବ୍ôଧ କରିଥିବା, ଜ୍ଞାନୀ ମହାପୁରୁଷମାନେ କହନ୍ତି ।
ଶ୍ଲୋକ 3
କ୍ଷେତ୍ରଜ୍ଞଂ ଚାପି ମାଂ ଵିଦ୍ଧି ସର୍ଵକ୍ଷେତ୍ରେଷୁ ଭାରତ |
କ୍ଷେତ୍ରକ୍ଷେତ୍ରଜ୍ଞଯୋର୍ଜ୍ଞାନଂ ଯତ୍ତଜ୍ଜ୍ଞାନଂ ମତଂ ମମ ||୧୩-୩||
ଅନୁବାଦ
ହେ ଭରତ ବଂଶଜ! ମୁଁ ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା ଅଟେ । ମୋ ମତରେ ଶରୀରକୁ କର୍ମର କ୍ଷେତ୍ର ତଥା ଆତ୍ମା ଏବଂ ଭଗବାନଙ୍କୁ ଏହି କ୍ଷେତ୍ରର ଜ୍ଞାତା ଭାବରେ ଜାଣିବା, ବାସ୍ତବିକ ଜ୍ଞାନ ଅଟେ ।
ଶ୍ଲୋକ 4
ତତ୍କ୍ଷେତ୍ରଂ ଯଚ୍ଚ ଯାଦୃକ୍ଚ ଯଦ୍ଵିକାରି ଯତଶ୍ଚ ଯତ୍ |
ସ ଚ ଯୋ ଯତ୍ପ୍ରଭାଵଶ୍ଚ ତତ୍ସମାସେନ ମେ ଶୃଣୁ ||୧୩-୪||
ଅନୁବାଦ
ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ’ଣ ଏବଂ ତାର ସ୍ୱଭାବ କ’ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି । ଏହା ମଧ୍ୟରେ ପରିବର୍ତ୍ତନ କିପରି ହୁଏ, ଏହାର ଉତ୍ପତ୍ତି କେଉଁଠୁ ହୋଇଛି, କର୍ମ କ୍ଷେତ୍ରର ଜ୍ଞାତା କିଏ ଏବଂ ତାଙ୍କର ଶକ୍ତି ସବୁ କ’ଣ - ମୁଁ ଏହି ସବୁ ବିଷୟରେ ମଧ୍ୟ ବର୍ଣ୍ଣନା କରିବି ।
ଶ୍ଲୋକ 5
ଋଷିଭିର୍ବହୁଧା ଗୀତଂ ଛନ୍ଦୋଭିର୍ଵିଵିଧୈଃ ପୃଥକ୍ |
ବ୍ରହ୍ମସୂତ୍ରପଦୈଶ୍ଚୈଵ ହେତୁମଦ୍ଭିର୍ଵିନିଶ୍ଚିତୈଃ ||୧୩-୫||
ଅନୁବାଦ
ମହାନ ଋଷି-ମୁନିମାନେ ବିବିଧ ପ୍ରକାରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ସମ୍ବନ୍ଧୀୟ ସତ୍ୟତାର ଗାୟନ କରିଛନ୍ତି । ଅନେକ ବେଦ ମନ୍ତ୍ରରେ ଏହାର ବର୍ଣ୍ଣନା କରାଯାଇଛି, ବିଶେଷ କରି ବ୍ରହ୍ମସୂତ୍ରରେ ବଳିଷ୍ଠ ତର୍କ ଏବଂ ଚୂଡ଼ାନ୍ତ ପ୍ରମାଣ ସହ ଏହା ବର୍ଣ୍ଣିତ ହୋଇଛି ।
ଶ୍ଲୋକ 6 ଏବଂ 7
ମହାଭୂତାନ୍ଯହଂକାରୋ ବୁଦ୍ଧିରଵ୍ଯକ୍ତମେଵ ଚ |
ଇନ୍ଦ୍ରିଯାଣି ଦଶୈକଂ ଚ ପଞ୍ଚ ଚେନ୍ଦ୍ରିଯଗୋଚରାଃ ||୧୩-୬||
ଇଚ୍ଛା ଦ୍ଵେଷଃ ସୁଖଂ ଦୁଃଖଂ ସଂଘାତଶ୍ଚେତନା ଧୃତିଃ |
ଏତତ୍କ୍ଷେତ୍ରଂ ସମାସେନ ସଵିକାରମୁଦାହୃତମ୍ ||୧୩-୭||
ଅନୁବାଦ
ପଞ୍ଚମହାଭୂତ, ଅହଂକାର, ବୁଦ୍ଧି, ଅବ୍ୟକ୍ତ ମୂଳ ପ୍ରକୃତି, ଏଗାରଟି ଇନ୍ଦ୍ରିୟ (ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ ଏବଂ ମନ) ଏବଂ ପଞ୍ଚେନ୍ଦ୍ରିୟର ବିଷୟ ଦ୍ୱାରା କର୍ମର କ୍ଷେତ୍ର ଗଠିତ । ଆସକ୍ତି ଓ ବିରକ୍ତି, ସୁଖ ଓ ଦୁଃଖ, ଶରୀର, ଚେତନା ଏବଂ ଇଚ୍ଛା - ଏସବୁ କ୍ଷେତ୍ରର ଅନ୍ତର୍ଗତ ଏବଂ ଏହାର ରୂପାନ୍ତର ଅଟନ୍ତି ।
ଶ୍ଲୋକ 8, 9, 10, 11, 12
ଅମାନିତ୍ଵମଦମ୍ଭିତ୍ଵମହିଂସା କ୍ଷାନ୍ତିରାର୍ଜଵମ୍ |
ଆଚାର୍ଯୋପାସନଂ ଶୌଚଂ ସ୍ଥୈର୍ଯମାତ୍ମଵିନିଗ୍ରହଃ ||୧୩-୮||
ଇନ୍ଦ୍ରିଯାର୍ଥେଷୁ ଵୈରାଗ୍ଯମନହଂକାର ଏଵ ଚ |
ଜନ୍ମମୃତ୍ଯୁଜରାଵ୍ଯାଧିଦୁଃଖଦୋଷାନୁଦର୍ଶନମ୍ ||୧୩-୯||
ଅସକ୍ତିରନଭିଷ୍ଵଙ୍ଗଃ ପୁତ୍ରଦାରଗୃହାଦିଷୁ |
ନିତ୍ଯଂ ଚ ସମଚିତ୍ତତ୍ଵମିଷ୍ଟାନିଷ୍ଟୋପପତ୍ତିଷୁ ||୧୩-୧୦||
ମଯି ଚାନନ୍ଯଯୋଗେନ ଭକ୍ତିରଵ୍ଯଭିଚାରିଣୀ |
ଵିଵିକ୍ତଦେଶସେଵିତ୍ଵମରତିର୍ଜନସଂସଦି ||୧୩-୧୧||
ଅଧ୍ଯାତ୍ମଜ୍ଞାନନିତ୍ଯତ୍ଵଂ ତତ୍ତ୍ଵଜ୍ଞାନାର୍ଥଦର୍ଶନମ୍ |
ଏତଜ୍ଜ୍ଞାନମିତି ପ୍ରୋକ୍ତମଜ୍ଞାନଂ ଯଦତୋଽନ୍ଯଥା ||୧୩-୧୨||
ଅନୁବାଦ
ବିନମ୍ରତା; ନିଷ୍କପଟତା; ଅହିଂସା; କ୍ଷମାଶୀଳତା; ସରଳତା; ଗୁରୁସେବା; ଦେହ ଓ ମନର ଶୁଦ୍ଧି; ଏକାଗ୍ରତା; ଆତ୍ମସଂଯମ; ଇନ୍ଦ୍ରିୟ ବିଷୟ ବସ୍ତୁ ପ୍ରତି ଅନାସକ୍ତି; ଅହଂକାର ଶୂନ୍ୟତା; ଜନ୍ମ, ବ୍ୟାଧି, ଜରା ଏବଂ ମୃତ୍ୟୁରେ ଦୋଷ ଦର୍ଶନ; ବନ୍ଧନ ମୁକ୍ତ; ସ୍ୱାମୀ/ସ୍ତ୍ରୀ, ସନ୍ତାନ, ଗୃହ ଇତ୍ୟାଦି ପ୍ରତି ଅନାସକ୍ତି; ଅନୁକୁଳ ଓ ପ୍ରତିକୁଳ ପରିସ୍ଥିତିରେ ସମଭାବାପନ୍ନ । ମୋ ପ୍ରତି ନିରନ୍ତର ଏବଂ ଅନନ୍ୟ ଶରଣାଗତି; ଏକାନ୍ତ ସ୍ଥାନ ପ୍ରତି ଆଗ୍ରହ ଏବଂ ପାର୍ଥିବ ସମାଜ ପ୍ରତି ବୈରାଗ୍ୟ; ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା; ଚରମ ସତ୍ୟ ପାଇଁ ଆଧ୍ୟାତ୍ମିକ ଅନ୍ୱେଷଣ - ମୁଁ ଏହି ସବୁକୁ ଜ୍ଞାନ ଏବଂ ଏହାର ବିପରୀତକୁ ଅଜ୍ଞାନ ଘୋଷଣା କରେ ।
ଶ୍ଲୋକ 13
ଜ୍ଞେଯଂ ଯତ୍ତତ୍ପ୍ରଵକ୍ଷ୍ଯାମି ଯଜ୍ଜ୍ଞାତ୍ଵାମୃତମଶ୍ନୁତେ |
ଅନାଦିମତ୍ପରଂ ବ୍ରହ୍ମ ନ ସତ୍ତନ୍ନାସଦୁଚ୍ଯତେ ||୧୩-୧୩||
ଅନୁବାଦ
ମୁଁ ବର୍ତ୍ତମାନ ଯାହା ଜ୍ଞାତବ୍ୟ, ତାହା ତୁମ ଆଗରେ ପ୍ରକାଶ କରିବି ଯାହାକୁ ଜାଣି ଜଣେ ଅମରତ୍ୱ ପ୍ରାପ୍ତ କରେ । ଏହା ସେହି ଅନାଦି ବ୍ରହ୍ମ ଅଟେ, ଯାହାର ସ୍ଥିତି ସମସ୍ତ ଅସ୍ଥିତ୍ୱ ଏବଂ ଅସ୍ଥିତ୍ୱ-ହୀନର ଊର୍ଦ୍ଧ୍ୱରେ ।
ଶ୍ଲୋକ 14
ସର୍ଵତଃ ପାଣିପାଦଂ ତତ୍ସର୍ଵତୋଽକ୍ଷିଶିରୋମୁଖମ୍ |
ସର୍ଵତଃ ଶ୍ରୁତିମଲ୍ଲୋକେ ସର୍ଵମାଵୃତ୍ଯ ତିଷ୍ଠତି ||୧୩-୧୪||
ଅନୁବାଦ
ତାଙ୍କର ହସ୍ତ ଓ ପଦ, ଚକ୍ଷୁ, ମସ୍ତିଷ୍କ ଏବଂ ମୁଖମଣ୍ଡଳ ଏବଂ ସର୍ବତ୍ର ବିଦ୍ୟମାନ । ସର୍ବତ୍ର ତାଙ୍କର କର୍ଣ୍ଣ ମଧ୍ୟ ରହିଛି, କାରଣ ସେ ବିଶ୍ୱର ସର୍ବତ୍ର ବ୍ୟାପ୍ତ ।
ଶ୍ଲୋକ 15, 16, 17
ସର୍ଵେନ୍ଦ୍ରିଯଗୁଣାଭାସଂ ସର୍ଵେନ୍ଦ୍ରିଯଵିଵର୍ଜିତମ୍ |
ଅସକ୍ତଂ ସର୍ଵଭୃଚ୍ଚୈଵ ନିର୍ଗୁଣଂ ଗୁଣଭୋକ୍ତୃ ଚ ||୧୩-୧୫||
ବହିରନ୍ତଶ୍ଚ ଭୂତାନାମଚରଂ ଚରମେଵ ଚ |
ସୂକ୍ଷ୍ମତ୍ଵାତ୍ତଦଵିଜ୍ଞେଯଂ ଦୂରସ୍ଥଂ ଚାନ୍ତିକେ ଚ ତତ୍ ||୧୩-୧୬||
ଅଵିଭକ୍ତଂ ଚ ଭୂତେଷୁ ଵିଭକ୍ତମିଵ ଚ ସ୍ଥିତମ୍ |
ଭୂତଭର୍ତୃ ଚ ତଜ୍ଜ୍ଞେଯଂ ଗ୍ରସିଷ୍ଣୁ ପ୍ରଭଵିଷ୍ଣୁ ଚ ||୧୩-୧୭||
ଅନୁବାଦ
ସମସ୍ତ ଇନ୍ଦ୍ରିୟ ବିଷୟର ଅନୁଭବ କରୁଥିଲେ ମଧ୍ୟ, ସେ ଇନ୍ଦ୍ରିୟ ରହିତ ଅଟନ୍ତି । ତାଙ୍କର କାହା ପ୍ରତି ଆସକ୍ତି ନ ଥାଇ ମଧ୍ୟ ସେ ସମସ୍ତଙ୍କର ରକ୍ଷକ ଅଟନ୍ତି । ଯଦିଓ ସେ ଗୁଣ ରହିତ, ତଥାପି ସେ ମାୟିକ ଗୁଣମାନଙ୍କର ଉପଭୋକ୍ତା ଅଟନ୍ତି । ଚର ଏବଂ ଅଚର ସମସ୍ତ ପ୍ରାଣୀଙ୍କର ବାହ୍ୟ ଏବଂ ଅଭ୍ୟନ୍ତରରେ ସେ ନିବାସ କରନ୍ତି । ସେ ଅତି ସୂକ୍ଷ୍ମ, ତେଣୁ ସେ ବୋଧଗମ୍ୟ ନୁହନ୍ତି । ସେ ଅତି ଦୂରରେ, କିନ୍ତୁ ଅତି ନିକଟରେ । ସେ ଅବିଚ୍ଛେଦ୍ୟ, କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା ପରି ପ୍ରତୀତ ହୁଅନ୍ତି । ସେହି ପରମ ପୁରୁଷଙ୍କୁ ସମସ୍ତଙ୍କର ପାଳକ, ବିଧ୍ୱଂସକ ଏବଂ ସ୍ରଷ୍ଟା ରୂପରେ ଜାଣ ।
ଶ୍ଲୋକ 18
ଜ୍ଯୋତିଷାମପି ତଜ୍ଜ୍ଯୋତିସ୍ତମସଃ ପରମୁଚ୍ଯତେ |
ଜ୍ଞାନଂ ଜ୍ଞେଯଂ ଜ୍ଞାନଗମ୍ଯଂ ହୃଦି ସର୍ଵସ୍ଯ ଵିଷ୍ଠିତମ୍ ||୧୩-୧୮||
ଅନୁବାଦ
ସେ ସମସ୍ତ ଉଜ୍ଜ୍ୱଳ ବସ୍ତୁର ଆଲୋକର ଉତ୍ସ ଅଟନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ସେ ଜ୍ଞାନ, ଜ୍ଞାନର ବିଷୟ ଏବଂ ଜ୍ଞାନର ଲକ୍ଷ୍ୟ ଅଟନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି ।
ଶ୍ଲୋକ 19
ଇତି କ୍ଷେତ୍ରଂ ତଥା ଜ୍ଞାନଂ ଜ୍ଞେଯଂ ଚୋକ୍ତଂ ସମାସତଃ |
ମଦ୍ଭକ୍ତ ଏତଦ୍ଵିଜ୍ଞାଯ ମଦ୍ଭାଵାଯୋପପଦ୍ଯତେ ||୧୩-୧୯||
ଅନୁବାଦ
କ୍ଷେତ୍ରର ସ୍ୱରୂପ, ଜ୍ଞାନର ଅର୍ଥ ଏବଂ ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ମୁଁ ତୁମକୁ କହିଲି । କେବଳ ମୋର ଭକ୍ତମାନେ ଏହାକୁ ବାସ୍ତବରେ ବୁଝିପାରନ୍ତି ଏବଂ ତଦ୍ୱାରା ସେମାନେ ମୋର ଦିବ୍ୟଗୁଣ ପ୍ରାପ୍ତ କରନ୍ତି ।
ଶ୍ଲୋକ 20
ପ୍ରକୃତିଂ ପୁରୁଷଂ ଚୈଵ ଵିଦ୍ଧ୍ଯନାଦୀ ଉଭାଵପି |
ଵିକାରାଂଶ୍ଚ ଗୁଣାଂଶ୍ଚୈଵ ଵିଦ୍ଧି ପ୍ରକୃତିସମ୍ଭଵାନ୍ ||୧୩-୨୦||
ଅନୁବାଦ
ଏହା ଜାଣ ଯେ, ପ୍ରକୃତି (ମାୟା) ଏବଂ ପୁରୁଷ (ଜୀବାତ୍ମା) ଉଭୟଙ୍କର ପ୍ରାରମ୍ଭ ନାହିଁ । ଆହୁରି ମଧ୍ୟ ଜାଣ ଯେ, ଶରୀର ତଥା ପ୍ରକୃତିର ତିନିଗୁଣର ସମସ୍ତ ପରିବର୍ତ୍ତନ ମାୟା ଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ ।
ଶ୍ଲୋକ 21
କାର୍ଯକାରଣକର୍ତୃତ୍ଵେ ହେତୁଃ ପ୍ରକୃତିରୁଚ୍ଯତେ |
ପୁରୁଷଃ ସୁଖଦୁଃଖାନାଂ ଭୋକ୍ତୃତ୍ଵେ ହେତୁରୁଚ୍ଯତେ ||୧୩-୨୧||
ଅନୁବାଦ
ମାୟାଶକ୍ତି ସୃଷ୍ଟି ସମ୍ବନ୍ଧୀୟ କାରଣ ଓ ପରିଣାମ ପାଇଁ ଦାୟୀ ରହେ । ସୁଖ ଓ ଦୁଃଖର ଅନୁଭୂତି ପାଇଁ ଜୀବାତ୍ମା ଦାୟୀ ବିବେଚିତ ହୁଏ ।
ଶ୍ଲୋକ 22
ପୁରୁଷଃ ପ୍ରକୃତିସ୍ଥୋ ହି ଭୁଙ୍କ୍ତେ ପ୍ରକୃତିଜାନ୍ଗୁଣାନ୍ |
କାରଣଂ ଗୁଣସଙ୍ଗୋଽସ୍ଯ ସଦସଦ୍ଯୋନିଜନ୍ମସୁ ||୧୩-୨୨||
ଅନୁବାଦ
ଯେତେବେଳେ ପୁରୁଷ (ଜୀବ) ପ୍ରକୃତିରେ (ମାୟାରେ) ସ୍ଥିତ ହୋଇ, ତିନି ଗୁଣକୁ ଉପଭୋଗ କରିବାର କାମନା କରେ, ସେମାନଙ୍କ ଠାରେ ଆସକ୍ତି ତା’ର ଉତ୍କୃଷ୍ଟ ବା ନିକୃଷ୍ଟ ଗର୍ଭରେ ଜନ୍ମନେବାର କାରଣ ହୋଇଥାଏ ।
ଶ୍ଲୋକ 23
ଉପଦ୍ରଷ୍ଟାନୁମନ୍ତା ଚ ଭର୍ତା ଭୋକ୍ତା ମହେଶ୍ଵରଃ |
ପରମାତ୍ମେତି ଚାପ୍ଯୁକ୍ତୋ ଦେହେଽସ୍ମିନ୍ପୁରୁଷଃ ପରଃ ||୧୩-୨୩||
ଅନୁବାଦ
ଶରୀର ମଧ୍ୟରେ ଭଗବାନ ମଧ୍ୟ ନିବାସ କରନ୍ତି । ତାଙ୍କୁ ସାକ୍ଷୀ, ଅନୁମୋଦନ କାରୀ, ସମର୍ଥକ, ଦିବ୍ୟ ଉପଭୋକ୍ତା, ଅନ୍ତିମ ନିୟାମକ ତଥା ପରାମାତ୍ମା କୁହାଯାଇ ଥାଏ ।
ଶ୍ଲୋକ 24
ଯ ଏଵଂ ଵେତ୍ତି ପୁରୁଷଂ ପ୍ରକୃତିଂ ଚ ଗୁଣୈଃ ସହ |
ସର୍ଵଥା ଵର୍ତମାନୋଽପି ନ ସ ଭୂଯୋଽଭିଜାଯତେ ||୧୩-୨୪||
ଅନୁବାଦ
ଯେଉଁମାନେ ପରମାତ୍ମା, ଜୀବାତ୍ମା, ମାୟା ତଥା ମାୟାର ତିନୋଟି ଗୁଣର ପ୍ରତିକ୍ରିୟାର ସତ୍ୟତାକୁ ଅନୁଭବ କରିପାରିଛନ୍ତି, ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ । ତାଙ୍କର ବର୍ତ୍ତମାନ ସ୍ଥିତି ଯାହା ହେଉନା କାହିଁକି, ସେମାନେ ମୁକ୍ତି ଲାଭ କରିବେ ।
ଶ୍ଲୋକ 25
ଧ୍ଯାନେନାତ୍ମନି ପଶ୍ଯନ୍ତି କେଚିଦାତ୍ମାନମାତ୍ମନା |
ଅନ୍ଯେ ସାଙ୍ଖ୍ଯେନ ଯୋଗେନ କର୍ମଯୋଗେନ ଚାପରେ ||୧୩-୨୫||
ଅନୁବାଦ
କେତେକ ବ୍ୟକ୍ତି ହୃଦୟସ୍ଥିତ ପରମାତ୍ମାଙ୍କୁ ତପସ୍ୟା ଦ୍ୱାରା ଅନୁଭବ କରିବାକୁ ଚେଷ୍ଟା କରନ୍ତି, ଆଉ କେତେଜଣ ଜ୍ଞାନ ଆହରଣ ଦ୍ୱାରା ଏହା କରିବାକୁ ଚେଷ୍ଟାରତ ରହନ୍ତି, ପୁଣି ଅନ୍ୟ କେତେକ ବ୍ୟକ୍ତି ସେହି ଅନୁଭୂତି ହାସଲ କରିବା ପାଇଁ କର୍ମମାର୍ଗରେ ନିୟୋଜିତ ହୁଅନ୍ତି ।
ଶ୍ଲୋକ 26
ଅନ୍ଯେ ତ୍ଵେଵମଜାନନ୍ତଃ ଶ୍ରୁତ୍ଵାନ୍ଯେଭ୍ଯ ଉପାସତେ |
ତେଽପି ଚାତିତରନ୍ତ୍ଯେଵ ମୃତ୍ଯୁଂ ଶ୍ରୁତିପରାଯଣାଃ ||୧୩-୨୬||
ଅନୁବାଦ
ପୁଣି ଅନ୍ୟମାନେ, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣି ନ ଥାନ୍ତି, ସେମାନେ ଅନ୍ୟମାନଙ୍କ ଠାରୁ ଶୁଣି ଭଗବାନଙ୍କର ଉପାସନା କରିବାକୁ ଆରମ୍ଭ କରନ୍ତି । ମହାପୁରୁଷମାନଙ୍କ ମୁଖରୁ ଶୁଣି ଏହିପରି ଭକ୍ତି କରିବା ଦ୍ୱାରା ମଧ୍ୟ ସେମାନେ କ୍ରମଶଃ ଜନ୍ମ ଓ ମୃତ୍ୟୁର ସାଗରକୁ ପାର କରିଯାଆନ୍ତି ।
ଶ୍ଲୋକ 27
ଯାଵତ୍ସଞ୍ଜାଯତେ କିଞ୍ଚିତ୍ସତ୍ତ୍ଵଂ ସ୍ଥାଵରଜଙ୍ଗମମ୍ |
କ୍ଷେତ୍ରକ୍ଷେତ୍ରଜ୍ଞସଂଯୋଗାତ୍ତଦ୍ଵିଦ୍ଧି ଭରତର୍ଷଭ ||୧୩-୨୭||
ଅନୁବାଦ
ହେ ଭରତଶ୍ରେଷ୍ଠ! ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ, ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ ।
ଶ୍ଲୋକ 28
ସମଂ ସର୍ଵେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ଵରମ୍ |
ଵିନଶ୍ଯତ୍ସ୍ଵଵିନଶ୍ଯନ୍ତଂ ଯଃ ପଶ୍ଯତି ସ ପଶ୍ଯତି ||୧୩-୨୮||
ଅନୁବାଦ
ଯେଉଁମାନେ ପ୍ରତ୍ୟେକ ପ୍ରାଣୀଙ୍କର ଆତ୍ମା ସହିତ ପରମାତ୍ମାଙ୍କର ଉପସ୍ଥିତି ହୃଦୟଙ୍ଗମ କରନ୍ତି ଏବଂ ଯେଉଁମାନେ ଏହି ନଶ୍ୱର ଶରୀର ମଧ୍ୟରେ ସେ ଦୁହିଁଙ୍କୁ ଅବିନଶ୍ୱର ଭାବେ ଜାଣନ୍ତି, ସେମାନେ ପ୍ରକୃତ ସତ୍ୟକୁ ଦେଖିପାରନ୍ତି ।
ଶ୍ଲୋକ 29
ସମଂ ପଶ୍ଯନ୍ହି ସର୍ଵତ୍ର ସମଵସ୍ଥିତମୀଶ୍ଵରମ୍ |
ନ ହିନସ୍ତ୍ଯାତ୍ମନାତ୍ମାନଂ ତତୋ ଯାତି ପରାଂ ଗତିମ୍ ||୧୩-୨୯||
ଅନୁବାଦ
ଯେଉଁମାନେ, ଭଗବାନଙ୍କୁ ପରମାତ୍ମା ରୂପରେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ଥିବା ଦେଖନ୍ତି, ସେମାନେ ନିଜ ମନଦ୍ୱାରା ନିଜର ପତନ କରନ୍ତି ନାହିଁ । ତଦ୍ୱାରା ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।
ଶ୍ଲୋକ 30
ପ୍ରକୃତ୍ଯୈଵ ଚ କର୍ମାଣି କ୍ରିଯମାଣାନି ସର୍ଵଶଃ |
ଯଃ ପଶ୍ଯତି ତଥାତ୍ମାନମକର୍ତାରଂ ସ ପଶ୍ଯତି ||୧୩-୩୦||
ଅନୁବାଦ
ଯେଉଁମାନେ ବୁଝିପାରନ୍ତି ଯେ ସମସ୍ତ କର୍ମ (ଶରୀରର) ଭୌତିକ ପ୍ରକୃତି ଦ୍ୱାରା ସମ୍ପାଦିତ ହୋଇଥାଏ ତଥା ଦେହଧାରୀ ଆତ୍ମା ପ୍ରକୃତରେ କୌଣସି କାର୍ଯ୍ୟ କରେ ନାହିଁ, ସେମାନେ ହିଁ ସତ୍ୟତାର ଦର୍ଶନ କରନ୍ତି ।
ଶ୍ଲୋକ 31
ଯଦା ଭୂତପୃଥଗ୍ଭାଵମେକସ୍ଥମନୁପଶ୍ଯତି |
ତତ ଏଵ ଚ ଵିସ୍ତାରଂ ବ୍ରହ୍ମ ସମ୍ପଦ୍ଯତେ ତଦା ||୧୩-୩୧||
ଅନୁବାଦ
ଯେତେବେଳେ ସେମାନେ ଦେଖିପାରନ୍ତି ଯେ, ଭିନ୍ନ ଭିନ୍ନ ପ୍ରକାରର ଜୀବ ଗୋଟିଏ ଭୌତିକ ପ୍ରକୃତିରେ ସ୍ଥିତ ଅଛନ୍ତି ଏବଂ ହୃଦୟଙ୍ଗମ କରନ୍ତି ଯେ ସମସ୍ତେ ସେଥିରୁ ଜନ୍ମ ନେଇଛନ୍ତି, ସେମାନେ ବ୍ରହ୍ମଙ୍କର ଅନୁଭୂତି ଲାଭ କରନ୍ତି ।
ଶ୍ଲୋକ 32
ଅନାଦିତ୍ଵାନ୍ନିର୍ଗୁଣତ୍ଵାତ୍ପରମାତ୍ମାଯମଵ୍ଯଯଃ |
ଶରୀରସ୍ଥୋଽପି କୌନ୍ତେଯ ନ କରୋତି ନ ଲିପ୍ଯତେ ||୧୩-୩୨||
ଅନୁବାଦ
ହେ କୁନ୍ତି ପୁତ୍ର! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, କୌଣସି କର୍ମ କରନ୍ତି ନାହିଁ କିମ୍ବା ମାୟା ଶକ୍ତି ଦ୍ୱାରା କଳୁଷିତ ହୁଅନ୍ତି ନାହିଁ ।
ଶ୍ଲୋକ 33
ଯଥା ସର୍ଵଗତଂ ସୌକ୍ଷ୍ମ୍ଯାଦାକାଶଂ ନୋପଲିପ୍ଯତେ |
ସର୍ଵତ୍ରାଵସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ଯତେ ||୧୩-୩୩||
ଅନୁବାଦ
ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି ଯଦିଓ ଶରୀରରେ ଚୈତନ୍ୟତା ବ୍ୟାପ୍ତ ଥାଏ, ଆତ୍ମା ଶରୀରର ସ୍ୱଭାବ ଦ୍ୱାରା ପ୍ରଭାବିତ ହୁଏ ନାହିଁ ।
କେବଳ ପଢ଼ିବା ଠାରୁ ଅଧିକ -
ନିଜର ଧ୍ୟାନ ଭିଡିଓ ତିଆରି କରନ୍ତୁ।
ବିଶ୍ୱ ସହିତ ବାଣ୍ଟିବା ପାଇଁ ପବିତ୍ର ପଦଗୁଡ଼ିକୁ ଏକ ସୁନ୍ଦର, ସିନେମାଟିକ୍ ଭିଡିଓରେ ପରିଣତ କରନ୍ତୁ | ନିଜର ପୃଷ୍ଠଭୂମି ବାଛନ୍ତୁ, ମନ୍ତ୍ରର ଅଡିଓ ଯୋଗ କରନ୍ତୁ, ଏବଂ ଗୀତର ଆଲୋକକୁ ଆଧୁନିକ ଫର୍ମାଟରେ ବିସ୍ତାର କରନ୍ତୁ।
ଏହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଆପ୍ ଡାଉନଲୋଡ୍ କରନ୍ତୁ
- ଉଚ୍ଚ ମାନର ପୃଷ୍ଠଭୂମି କଳାକୃତି
- ସିଙ୍କ୍ ହୋଇଥିବା ସଂସ୍କୃତ ଏବଂ ଅର୍ଥ ପାଠ୍ୟ
- ନିମଜ୍ଜନ ଚାଙ୍କିଙ୍ଗ ଏବଂ ସଙ୍ଗୀତ
ଗଭୀର ନିମଜ୍ଜନ ଅନୁଭବ କରନ୍ତୁ
ନିତ୍ଯ ଗୀତାର ସମ୍ପୂର୍ଣ୍ଣ ସଂସ୍କରଣ ସହିତ ଏକ ସିନେମା ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତୁ। ଉଚ୍ଚ ମାନର ମନ୍ତ୍ର, ପ୍ରାମାଣିକ ଅନୁବାଦ ଏବଂ ଆପଣଙ୍କ ହାତରେ ଏକ ଶାନ୍ତିପୂର୍ଣ୍ଣ ଧ୍ୟାନ ଅଭୟାରଣ୍ୟ।